ବିଜେପୁର,୦୩ ଅକ୍ଟୋବର : ବିଜେପୁର ନିର୍ବାଚନ ପାଇଁ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ବହୁ ହେଭିୱେଟ୍ ନେତା ପ୍ରଚାର କରିବାକୁ ବିଜେପୁର ମଇଦାନକୁ ଓହ୍ଲାଇବେ। ବିଜେଡିରୁ ନବୀନ ପଟ୍ଟନାୟକଙ୍କ ଭଳି ନେତୃତ୍ଵ ପ୍ରଚାର କରିବାକୁ ଥିବା ବେଳେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜେପି ନଡ୍ଡା, ସ୍ମୃତି ଇରାନୀ ଓ କଂଗ୍ରେସରୁ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଚାର କରିବେ।

ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଏୟୁ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ମଙ୍ଗଳା କିଷାନ, ପ୍ରଫୁଲ୍ଲ ମଲ୍ଲିକ, ରାଜା ସ୍ଵାଇଁ, ଦେବୀ ମିଶ୍ର, ଟିକେଟ ଆସାୟୀ ଥିବା ପ୍ରଭାସ ସିଂ, ପ୍ରଭାତ ଆଦିତ୍ୟ ମିଶ୍ର ତାଲିକାରେ ଅଛନ୍ତି। ବିଜେପି ତାଲିକାରେ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା।, ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଷଡଙ୍ଗୀ, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡା ତାଲିକାରେ ଅଛନ୍ତି। ସେହି ପରି କଂଗ୍ରେସ ତାଲିକାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂ, ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ତାଲିକାରେ ଅଛନ୍ତି।

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ବିଜେପୁର ବ୍ୟାଟେଲ୍ ପାଇଁ ପଦ୍ମପୁରରେ ବିଜେଡି, ବିଜେପି ଓ କଂଗ୍ରେସ୍ ପ୍ରାର୍ଥୀଙ୍କ ସମେତ ମୋଟ୍ ୭ ଜଣ ନାମାଙ୍କନ ପତ୍ର ଭରିଥିଲେ। ସେମାନଙ୍କ ମଧ୍ୟରୁ ତିନି ଦଳର ପ୍ରାର୍ଥୀ ବିଜେଡିର ରୀତା ସାହୁ, ବିଜେପିର ସନତ ଗଡତିଆ ଓ କଂଗ୍ରେସର ଦିଲୀପ ପଣ୍ଡାଙ୍କ ମଧ୍ୟରେ କଡ଼ା ଟକ୍କର ହେବ।