ବାଲେଶ୍ୱର,୦୩ ଅକ୍ଟୋବର : ବେଆଇନ ବାଣ ଭିଡୁଥିବା ବେଳେ ବିସ୍ଫୋରଣରେ ଗୋଟିଏ ଘରର ତୃତୀୟ ମହଲା ଭାଙ୍ଗି ପଡିଛି । ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା କୋଠାର ଉପର ମହଲାରେ ଗତକାଲି ବିଳମ୍ୱିତ ରାତିରେ ବିସ୍ଫୋରଣ ହୋଇଛି। ଫଳରେ ଉପର ମହଲାର କାନ୍ଥ ଭାଙ୍ଗି ଛିନ୍‌ଛତ୍ର ହୋଇପଡ଼ିଛି। ଘରର ଉପର ମହଲାରେ ଜଣେ ମାର୍ବଲ ମିସ୍ତ୍ରୀ ଭଡ଼ାରେ ରହୁଥିଲେ। ତାଙ୍କ ନାଁ ଶ୍ରୀଧର ମହାନ୍ତି। ବିସ୍ଫୋରଣ ପରଠୁ ଶ୍ରୀଧରଙ୍କ ପତ୍ତା ମିଳୁନି।

ଆଜି ସକାଳେ ବାଲେଶ୍ୱର ରେମୁଣା ଅଂଚଳର ଏକ ଘରେ ଜୋରଦାର ଶବ୍ଦ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ସେହି ବିସ୍ଫୋରଣସ୍ଥଳୀ ନିକଟକୁ ଚାଲିଆସିଥିଲେ । ଗୋଟିଏ ଘରେ ଏହି ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ଘରର ତୃତୀୟ ମହଲା ଛାତଟି ଭାଙ୍ଗି ପଡିଥିଲା । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଘରେ ଖୋଳତାଡ ଆରମ୍ଭ କରିଥିଲ। ।