ନୂଆଦିଲ୍ଲୀ,୦୧ ଅକ୍ଟୋବର : ମହାରାଷ୍ଟ୍ରରେ ସହଯୋଗୀ ଦଳ ଶିବସେନା ସହ ଆସନ ବୁଝାମଣାକୁ ନେଇ ଚାଲିଥିବା ଦ୍ୱିମତ ପରେ ଶେଷରେ ବିଜେପି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ 125 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ନାଗପୁର ଦକ୍ଷିଣ ପଶ୍ଚିମ ବିଧାନସଭା ଆସନରେ ନିର୍ବାଚନ ଲଢିବେ । ସେହିପରି ମହାରାଷ୍ଟ୍ର ବିଜେପିର ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କୋଥରୁଡରୁ ନିର୍ବାଚନ ଲଢିବାରୁ ଯାଉଥିବା ବେଳେ ଦିବଗନ୍ତ କେନ୍ଦ୍ରମନ୍ତ୍ରୀ ଗୋପିନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ପାରଲୀ ବିଧାନସଭା ଆସନରୁ ମୈଦାନକୁ ଓହ୍ଲାଇବେ ।

ଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟାଳୟରେ ପ୍ରଥମ ସୂଚୀ ଜାରି କରି ଦଳର ମହାସଚିବ ଅରୁଣ ସିଂ କହିଛନ୍ତି, “ତିନି-ଚତୁର୍ଥାଂଶ ବହୁମତ ସହ ପୁଣିଥରେ ଆମ ସରକାର ଆସିବା ସୁନିଶ୍ଚିତ” । 125 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି, ଏଥିରୁ 12 ଟି ବିଧାନସଭାର ପ୍ରାର୍ଥୀରେ ପରିବର୍ତ୍ତନ କରିଛି ଦଳ । ବର୍ତ୍ତମାନର 52 ଜଣ ବିଧାୟକଙ୍କୁ ଟିକେଟ ଦେଇଛି ଦଳ । ଏଥିରେ 12 ମହିଳା ରହିଛି । 288 ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର 21 ମତଦାନ ହେବ ଏବଂ ଅକ୍ଟୋବର 24ରେ ଏହାର ପରିଣାମ ଘୋଷିତ ହେବ ।