ନୂଆଦିଲ୍ଲୀ,୦୩ ଅକ୍ଟୋବର : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନେବାକୁ ଏବେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ପଣ କରିଛି। ଏଥିପାଇଁ ସଂଗଠନ ପକ୍ଷରୁ ଭାରତକୁ ଧମକ ଦିଆଯାଇଛି। ବିଶେଷ କରି ଦେଶର ବିଭିନ୍ନ ଏୟାରପୋର୍ଟରେ ହମ୍‌ଲା କରିବାକୁ ଜୈଶ ଯୋଜନା କରୁଥିବା ଜଣାପଡ଼ିଛି।

ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ସହ ଦେଶର ୩୦ଟି ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି। ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏକ ହିନ୍ଦୀ ଚିଠି ଠାବ କରିଛି। ଏହି ଚିଠିରେ ଜୈଶ ସଂଗଠନର ସଦସ୍ୟ ଶମସେର ୱାନି ଆକ୍ରମଣ ପାଇଁ ଧମକ ଦେଇଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନିଆଯିବ।

ଜୈଶ ଧମକ ପରେ ସିଆଇଏସ୍‌ଏଫ୍‌ ପକ୍ଷରୁ ଏୟାରପୋର୍ଟ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଟର୍ମିନାଲରେ ସାଦାପୋଷାକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପାର୍କିଂ ଠାରୁ ଆରମ୍ଭ କରି ରନ୍‌ୱେ ଏବଂ ୱେଟିଂ ରୁମ୍‌ ପର୍ଯ୍ୟନ୍ତ ସବୁ ସ୍ଥାନରେ ଡଗ ସ୍କ୍ୱାଡ୍‌ ଓ ବୋମା ନିଷ୍କ୍ରୟ ଟିମ୍‌କୁ ମୁତୟନ କରାଯାଇଛି। ଏୟାରପୋର୍ଟକୁ ପ୍ରବେଶ କରୁଥିବା ଏବଂ ବାହାରୁ ଥିବା ଗାଡ଼ିକ ଉପରେ ଅଧିକ ଦୃଷ୍ଟି ରଖିବା ପାଇଁ ଅତିରିକ୍ତ ବ୍ୟାରିକେଡ୍‌ ନିର୍ମାଣ ହୋଇଛି।