ଇସଲାମବାଦ,୧୫ ସେପ୍ଟେମ୍ବର : ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି । ଏହାପରେ ପାକ୍ ବାରମ୍ବାର ଯୁଦ୍ଧ ନେଇ ଫମ୍ପା ଧମକ ମଧ୍ୟ ଦେଉଛି । ପୁଣି ଥରେ ସେଠାକାର ପ୍ରଧାନମନ୍ତ୍ରୀ ଇମରାନ ଖାନ ଏପରି କିଛି ବୟାନ ଦେଇଛନ୍ତି । ପାକ୍ ଭାରତ ସହ ପାରମ୍ପାରିକ ଯୁଦ୍ଧରେ ପରାସ୍ତ ହୋଇପାରେ ବୋଲି ସେ କହିଛନ୍ତି । ଏହାସହ ସେ ପରମାଣୁ ଯୁଦ୍ଧନେଇ ମଧ୍ୟ ସମ୍ଭାବନା ପ୍ରକାଶ କରିଛନ୍ତି ।

ଅଲ ଜଜିରାକୁ ଦେଇଥିବା ସାକ୍ଷାତକାରରେ ଇମରାନ କହିଛନ୍ତି ଯେ, ସେ ହେଉଛନ୍ତି ଶାନ୍ତିବାଦୀ । ସେ ସଦାବେଳେ ଯୁଦ୍ଧକୁ ବିରୋଧ କରନ୍ତି । କାରଣ ଏଥିରେ କୌଣସୀ ସମସ୍ୟାର ସମାଧାନ ହେବ ନାହିଁ । ଭିଏତନାମ ଓ ଇରାକ ଲଢେଇ ଏହାର ଉଦାହରଣ । ଯୁଦ୍ଧ ସହ କିଛି ଅନ୍ୟ ସମସ୍ୟା ମଧ୍ୟ ମୁଣ୍ଡ ଟେକିଥାଏ । ପାକିସ୍ତାନ କେବେ ବି ପରମାଣୁ ଯୁଦ୍ଧ କରିବ ନାହିଁ । ପାରମ୍ପାରିକ ଯୁଦ୍ଧରେ ହାରିଥିବା ଦେଶ ପାଖରେ ଦୁଇଟି ବିକଳ୍ପ ରହିଥାଏ । ଏହାର ଅର୍ଥ ସେ ଆତ୍ମସମର୍ପଣ କରିବ ନଚେତ ଶେଷ ଯାଏଁ ଲଢିବ । ପାକିସ୍ତାନ ଶେଷ ଯାଏଁ ଲଢିବ । କାରଣ ପରମାଣୁ ସମ୍ପର୍ଣ୍ଣ ଦେଶ ମଧ୍ୟରେ ଲଡେଇ ହେଲେ ପରିସ୍ଥିତି ଭୟାବହ ହେବ ।