ଭୁବନେଶ୍ୱର,୧୦ ସେପ୍ଟେମ୍ବର : ଟ୍ରାଫିକ ନିୟମ ନେଇ ଲୋକମାନଙ୍କୁ ସଚେତନ କରିବାକୁ କମିଶନରେଟ ପୁଲିସ ନୂଆ ତରିକା ଆପଣେଇଛି। ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଫାଇନ କାଟିବା ସହ ସେହି ଟଙ୍କାରେ ହେଲମେଟ୍ ଦିଆଯାଉଛି।

ଭୁବନେଶ୍ୱରରେ ଯେଉଁମାନେ ହେଲ୍‌ମେଟ୍‌ ନ ପିନ୍ଧି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଫାଇନ୍‌ ଆଦାୟ କରାଯାଉଛି । କିନ୍ତୁ ଏହା ବଦଳରେ ସଂପୃକ୍ତ ବ୍ୟକ୍ତିଙ୍କୁ ବିନା ମୂଲ୍ୟରେ ଏକ ହଳଦିଆ ରଙ୍ଗର ହେଲ୍‌ମେଟ୍‌ ଦିଆଯାଉଛି । ଏହା ଦ୍ୱାରା ଲୋକ ସଚେତନ ହେବେ ବୋଲି ଟ୍ରାଫିକ୍‌ ପୋଲିସ ଡିସିପି ସାଗରିକା ନାଥ କହିଛନ୍ତି । ବିପୁଳ ପରିମାଣରେ ଫାଇନ୍‌ ଆଦାୟ କରି ରାଜସ୍ୱ ବଢ଼ାଇବା ପାଇଁ ଟ୍ରାଫିକ୍‌ ନିୟମ କଡ଼ା କଡ଼ି କରାଯାଉ ନାହିଁ । ବରଂ ଦୁର୍ଘଟଣାକୁ ରୋକିବା ଓ ଲୋକଙ୍କୁ ସଚେତନ କରିବାକୁ ଏଭଳି କରାଯାଉଥିବା ଡିସିପି କହିଛନ୍ତି ।

ସେହିପରି କଟକର ମଧୁପାଟଣା ଛକରେ ପୁଲିସ୍‌ ପକ୍ଷରୁ ସଚେତନତା କରାଯାଇଛି। ଟ୍ରାଫିକ୍ ଏସିପି ଓ ଆଇଆଇସି ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଛନ୍ତି। ଗାଡ଼ି ଚାଳକଙ୍କୁ ଚକଲେଟ ଓ ଲିଫଲେଟ ବଣ୍ଟନ କରିଛନ୍ତି ପୁଲିସ ଅଧିକାରୀ।