ବଲାଙ୍ଗିର,୧୩ ଅଗଷ୍ଟ : ବଲାଙ୍ଗିର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍‌ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ବଲାଙ୍ଗୀରରେ ବର୍ଷା ଫଳରେ ବିଭିନ୍ନ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ସେଥିପାଇଁ ଜିଲ୍ଲାପାଳ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି । ବଲାଙ୍ଗିର ତୁଷୁରା-ଗୁଡ୍‌ଭେଲା ମୁଖ୍ୟ ରାସ୍ତାରେ ୮ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବଲାଙ୍ଗୀର ସହରରୁ ସୋନପୁର, ପାଟଣାଗଡ଼, ସମ୍ବଲପୁର ଓ ବରଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଖୋଦ ଜିଲ୍ଲାପାଳ ନିଜେ ବୁଲି ବୁଲି ସ୍ଥିତି ତଦାରଖ କରୁଛନ୍ତି । ଜଳବନ୍ଦୀ ଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଉଡ୍ରାଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି ।

ସେହିପରି ପ୍ରବଳ ବର୍ଷା ଯୋଗୁ ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଲକରେ ପ୍ରବାହିତ ଖଡଙ୍ଗ ନଦୀର ବନ୍ୟାଜଳ ବିଭିନ୍ନ ଗାଁରେ ପ୍ରବେଶ କରିବାରେ ଲାଗିଛି। ଏହି ବ୍ଲକ୍‌ ଜାମୁଟ ଗାଁର ଧରୁଆପଡ଼ା ଓ ତିଲକାମାଲ ଗାଁକୁ ବନ୍ୟା ପାଣି ପଶି ଯିବାରୁ ପ୍ରାୟ ୨୦୦ ପରିବାର ପାଣି ଘେରରେ ରହିଛନ୍ତି। ଗୁଡଭେଲା ବ୍ଲକ ପ୍ରଶାସନ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପ୍ରାୟ ୧୦ଟି ପରିବାରକୁ ଉଦ୍ଧାର କରିଛନ୍ତି।