ସମ୍ବଲପୁର, ୧୩ ଅଗଷ୍ଟ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏହା ସହିତ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଟ୍ରାକ୍ ଉପରେ ବର୍ଷା ପାଣି ଚାଲୁଥିବା ଯୋଗୁ ଟ୍ରେନ୍‌ ଚଳାଚଳକୁ ସାମୟିକ ଭାବେ ବନ୍ଦ କରାଯାଇଛି।

ଲଗାଣ ବର୍ଷା କାରଣରୁ ଟ୍ରେନ ଟ୍ରାକରେ ପାଣି ଜମି ରହିଛି । ସମ୍ବଲପୁର ଦେଓଗାଁ ରୋଡ- ବରଗଡ- ଟିଟଲାଗଡ ସେକ୍ସନରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଛି । ସେପଟେ ବରପାଲିରେ ସମ୍ବଲପୁର-ରାୟଗଡା ଏକ୍ସପ୍ରେସ୍, ଡୁଙ୍ଗୁରିପାଲିରେ ଇସ୍ପାତ ଏକ୍ସପ୍ରେସ୍ ଓ ଲୋଇସିଂହାରେ ଆଜମେର-ପୁରୀ ଏକ୍ସପ୍ରେସ୍ ଅଟକିଛି । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ତେବେ ଟ୍ରାକରୁ ପାଣି ନିଷ୍କାସିତ ହେବା ପରେ ପୁଣି ଥରେ ଟ୍ରେନ ଚଳାଚଳ ହେବ ବୋଲି ପୂର୍ବତଟ ରେଳପଥ ସୂଚନା ଦେଇଛନ୍ତି । ।