ଭୁବନେଶ୍ୱର,୧୦ ଅଗଷ୍ଟ : ଆଜି ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୨ ଦିନିଆ ଓଡିଶା ଗସ୍ତରେ ଆସିବେ । ସେ ଏଠାରେ ବିଜେପିର ସଦସ୍ୟତା ଅଭିଯାନର ସମୀକ୍ଷା କରିବେ ।

୨୦୧୯ ସାଧାରଣ ନିର୍ବାଚନ ପରେ ବର୍ତମାନ ରାଜ୍ୟ ବିଜେପି ସଦସ୍ୟତା ଅଭିଯାନକୁ ଜୋରସୋରରେ ଆଗକୁ ବଢାଉଛି । ବିଜେପି ସମସ୍ତ ବର୍ଗଙ୍କୁ ଦଳରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି । ବିଜେପିର ବିଭିନ୍ନ ସେଲ ନୂଆ ନୂଆ ଯୁବଗୋଷ୍ଠୀ ଓ ମହିଳାଙ୍କୁ ଦଳର ସଦସ୍ୟ କରୁଛନ୍ତି । ଏହା ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଜନତାଙ୍କ ଆସ୍ଥା ଓ ବିଶ୍ୱାସକୁ ନେଇ ପ୍ରତି ପରିବାର ପାଖରେ ପହଁଚିବା ପାଇଁ ଚେଷ୍ଟା କରୁଛନ୍ତି ଛାମୁଆ ନେତା । ଆହୁରି ମଧ୍ୟ ରାଜ୍ୟରେ ଦଳକୁ ମଜବୁତ କରିବା ପାଇଁ ବୁଥ ସ୍ତରରେ ସଦସ୍ୟ ସଂଗ୍ରହକୁ ଗୁରୁତ୍ୱ ଦିଆଯାଇଛି । ଏହାର ସମୀକ୍ଷା ପାଇଁ ଆଜି ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡିଶା ଆସିବେ । ସେ ତାଙ୍କର ୨ଦିନିଆ ଓଡିଶା ଗସ୍ତରେ ବିଭିନ୍ନ ଦଳୀୟ କାର୍ଯୟ ସହ ସଦସ୍ୟତା ସଂଗ୍ରହ ଅଭିଯାନର ସମୀକ୍ଷା କରିବେ ।