ଭୁବନେଶ୍ୱର,୨୬ ଜୁଲାଇ : ସରିଯାଇଛି ପାଟକୁରା ନିର୍ବାଚନ । ଥମି ଯାଇଛି ପ୍ରତ୍ୟେକ୍ଷ ରାଜନୀତି । କିନ୍ତୁ ପାଟକୁରା ପ୍ରସଙ୍ଗକୁ ନେଇ ଏବେ ମଧ୍ୟ ରାଜ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ଠାରୁ ବିଜେପି ନେତା ବିଜୟ ମହାପାତ୍ରଙ୍କ ପରାଜୟ ଅଧିକ ଚର୍ଚ୍ଚାରେ ରହିଛି । ତେବେ ପରାଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷ ଭାବେ ତୀବ୍ର ସମାଲୋଚନା କରିଛନ୍ତି ବିଜୟ । ଏପରିକି ନବୀନଙ୍କ କିଲ୍ ବିଜୟ ପ୍ରୋଜେକ୍ଟ ସଫଳ ହୋଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି,“ପୂର୍ବରୁ ଏପରି ନିର୍ବାଚନ କେବେ ଦେଖି ନଥିଲି, ନା ଆଗକୁ ଦେଖିବି। ଏପରି ଘେରାବନ୍ଦୀ କଲେ, ଯେମିତି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି। କିଲ୍ ବିଜୟ ପ୍ରୋଜେକ୍ଟ ସଫଳ ହୋଇଛି, ସେଥିପାଇଁ ଅଭିନନ୍ଦନ ଜଣାଉଛି। ରାଜନୀତିରେ ସମସ୍ତଙ୍କ ପାଇଁ ଦିନେ ନା ଦିନେ ପୂର୍ଣ୍ଣଚ୍ଛେଦ ପଡ଼େ। ତାଙ୍କ ପାଇଁ ଆସିବ ଓ ମୋ ପାଇଁ ମଧ୍ୟ ପୂର୍ଣ୍ଣଚ୍ଛେଦ ସମୟ ଆସିବ। ତାଙ୍କ ପୂର୍ଣ୍ଣଚ୍ଛେଦ ବେଳେ ମୁଁ ଥିବି, ମୋ ପୂର୍ଣ୍ଣଚ୍ଛେଦ ବେଳେ ସେ ନ ଥିବେ। ରାଜନୀତିରେ କେହି ଅଜେୟ, ଅମର ହୋଇ ରହିପାରିବେ ନାହିଁ।’

ସୂଚନାଯୋଗ୍ୟ ଯେ, ପାଟକୁରା ନିର୍ବାଚନରେ ବିଜୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କଠାରୁ ପ୍ରାୟ ୧୭ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ । ଏହି ହାଇଭୋଲଟେଜ ଲଢେଇରେ ଅନେକ ଅବ୍ୟବସ୍ଥା ଏବଂ ହିଂସା ସାମ୍ନାକୁ ଆସିଥିଲା ।