ନୂଆଦିଲ୍ଲୀ, ୧୦ ଜୁନ : ଟିମ୍ ଇଣ୍ଡିଆର ବିସ୍ଫୋରକ ଅଲରାଉଣ୍ଡର ଯୁବରାଜ ସିଂହ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସାଉଥ ମୁମ୍ବାଇ ହୋଟେଲରେ ଆୟୋଜିତ ପ୍ରେସ କନଫରେନ୍ସରେ ଯୁବରାଜ ଏହା ଘୋଷଣା କରିଛନ୍ତି। ଯୁବରାଜ ୨୦୧୯ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ। ତେବେ ଖରାପ ଫର୍ମ ଓ ଫିଟ୍‌ନେସ୍ କାରଣରୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ। ୩୭ ବର୍ଷୀୟ ଯୁବରାଜ ସିଂହ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ୨୦୧୭ ଜୁନ୍ ୩୦ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ। ସେହିଭଳି ସେ ତାଙ୍କ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍ ୨୦୧୭ ଫେବ୍ରୁଆରୀ ୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ସେ ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ।

୩୭ ବର୍ଷୀୟ ଯୁବରାଜଙ୍କୁ ବିଭିନ୍ନ ବିଦେଶୀ କ୍ରିକେଟ ଟିମ୍‌ ରେ ଖେଳିବା ପାଇଁ ସୁଯୋଗ ମିଳିଥିବା ଚର୍ଚ୍ଚା ହେଉଛି । ତାଙ୍କୁ କାନାଡା ,ଆୟରଲାଣ୍ଡ ଓ ହଲାଣ୍ଡରେ ଟି ଟ୍ୱେଣ୍ଟି ଖେଳିବା ପାଇଁ ଆମନ୍ତ୍ରଣ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।