ଲଣ୍ଡନ,୦୯ ଜୁଲାଇ :୨୦୧୯ କ୍ରିକେଟ ବିଶ୍ଵକପ୍‌ରେ ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ସର୍ବାଧିକ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ। ଟାଇଟଲ ହାତେଇବା ଲାଗି ଉଭୟ ଟିମ୍‌ ଦାବିଦାର ଥିବାରୁ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ମଞ୍ଚେଷ୍ଟରରେ ଏହି ମ୍ୟାଚ୍‌ ଖେଳାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆ ନିଜକୁ ଶକ୍ତିଶାଳୀ ଟିମ ବୋଲି ପରିଚୟ ଦେଇ ସାରିଛି । କାରଣ ଭାରତୀୟ ଟିମ ୯ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିଥିବା ବେଳେ କେବଳ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏଯାଏଁ ଭାରତ ଦକ୍ଷିଣଆଫ୍ରିକା, ଅଷ୍ଟ୍ରେଲିଆ, ପାକିସ୍ତାନ, ୱେଷ୍ଟଇଣ୍ଡିଜ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ପରାସ୍ତ କରିଛି ।

ଅନ୍ୟପଟେ ବିଶ୍ଵକପ୍‌ରେ ଉଭୟ ଟିମ୍ ପରସ୍ପରକୁ ୮ଥର ଭେଟିଥିବାବେଳେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରେ ଏବଂ ଭାରତ ୩ଟିରେ ବିଜୟ ହାସଲ କରିଛି। ଟିମ ଇଣ୍ଡିଆକୁ ସବୁଠାରୁ ବଡ କଥା ସାହସ ଓ ଅନୁକୂଳ ପାଗର ଆବଶ୍ୟକତା ରହିଛି । ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଅଭ୍ୟାସ ମ୍ୟାଚରେ ଭାରତ ମେ’ ମାସ ୨୫ରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା । ଉଭୟ ଟିମ ମଧ୍ୟରେ ଖେଳାଯିବାକୁ ଥିବା ଲିଗ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ମାତ୍ର ଏବେ ଭାଗ୍ୟ ପୁଣି ଏକାଠି କରିଥିଲେ ମଧ୍ୟ ଇଂଲଣ୍ଡର ପାଗ ଠିକ ନାହିଁ ।