ମ୍ୟାଞ୍ଚେଷ୍ଟର୍‌,୦୯ ଜୁଲାଇ : ୨୦୧୯ କ୍ରିକେଟ ବିଶ୍ଵକପ୍‌ରେ ମଙ୍ଗଳବାର ଅପରାହ୍ନ ୩ଟାରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବାବେଳେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପଟେ ଭାରତ ଏହାର ଶେଷ ଲିଗ୍‌ ମ୍ୟାଚରେ ଶ୍ରୀଲଙ୍କାଠାରୁ ଦମ୍‌ଦାର ବିଜୟ ହାସଲ କରିଥିବାରୁ ଏହାର ଫାଇଦା ଉଠାଇବାକୁ ବିରାଟବାହିନୀ ଉଦ୍ୟମ କରିବ।

ମ୍ୟାଞ୍ଚେଷ୍ଟରରେ ପାଗ ମେଘୁଆ ରହିଥିବାରୁ ଟିମ୍ ଇଣ୍ଡିଆ ପେସରଙ୍କୁ ପ୍ରାରମ୍ଭିକ ଫାଇଦା ମିଳିପାରେ। ଅନ୍ୟପକ୍ଷରେ ୨ୟ ଇନିଂସରେ ବ୍ୟାଟିଂ କରିବା କୌଣସି ଟିମ୍ ପକ୍ଷେ ସହଜ ହୋଇ ନାହିଁ। ଏହାକୁ ଦୃଷ୍ଟିରେ ରଖି କେନ୍ ଓ୍ୱିଲିୟମ୍‌ସନ୍‌ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଓ୍ୱି ଟିମର ବୋଲିଂ ଦମଦାର ରହିଥିବାରୁ ପ୍ରତିପକ୍ଷ ଟିମ୍ ଭାରତର ବ୍ୟାଟିଂରେ ବ୍ରେକ୍ ଲଗାଇ ପାରିବ ବୋଲି ଅଧିନାୟକ କେନ୍ ଓ୍ୱିଲିୟମ୍‌ସନ୍‌ ବିଶ୍ୱାସ ରଖିଛନ୍ତି। ବିଶ୍ଵକପ୍‌ରେ ଉଭୟ ଟିମ୍ ପରସ୍ପରକୁ ୮ଥର ଭେଟିଥିବାବେଳେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରେ ଏବଂ ଭାରତ ୩ଟିରେ ବିଜୟ ହାସଲ କରିଛି। ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି।