ଭୁବନେଶ୍ୱର,୧୦ ଜୁଲାଇ : ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଛି ବଡ଼ ସଫଳତା। ମହିଳା ୧୦୦ ମିଟର ଦୌଡ଼ରେ ସେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସହିତ ଦୂତି ଇତିହାସ ମଧ୍ୟ ରଚିଛନ୍ତି । ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।

ଦୂତୀ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ । ଏହି ଦୂରତାକୁ ୧୧.୩୩ ସେକେଣ୍ଡରେ ଅତିକ୍ରମ କରି ସ୍ୱିଜରଲ୍ୟାଣ୍ଡର ଆଜ୍‌ଲା ଡେଲ୍ ପୋଣ୍ଟେକୁ ପଛରେ ପକାଇଥିଲେ । ପୋଣ୍ଟେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଥିଲେ । ଦୂତୀ ସେମି ଫାଇନାଲ୍‌ରେ ୧୧.୪୧ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ । ଚଳିତ ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ।

ଦୂତୀଙ୍କ ଏହି ସଫଳତା ପାଇଁ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି, ଏହା ଦେଶ ପାଇଁ ବହୁତ ଗର୍ବର କଥା। ଏହିଭଳି ପ୍ରୟାସ ଜାରି ରଖ ଓ ଅଲିମ୍ପିକ୍ସରେ ଏହି ସଫଳତାକୁ ଦୋହରାଇବାକୁ ଲକ୍ଷ୍ୟ ରଖ।