ନୂଆଦିଲ୍ଲୀ,୧୩ ଅଗଷ୍ଟ : ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଫା ସଫା ମନା କରି ଦେଇଛନ୍ତି । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ବିବାଦରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ହେଲେ ଭାରତ ସରକାର କଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା ଦରକାର ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ।

ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲ କହିଛନ୍ତି, “ଆମେରିକା କଶ୍ମୀର ପ୍ରସଙ୍ଗରେ ଆଉ କେବେ ହେଲେ ମଧ୍ୟସ୍ଥତା କଥା ଉଠାଇବ ନାହିଁ ବୋଲି ସ୍ପଷ୍ଟ କରିଛି। ହେଲେ ଭାରତ ଓ ପାକିସ୍ତାନକୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ଲାଗି ରହିଥିବା ବିବାଦର ସମାଧାନ ପାଇଁ ପରାମର୍ଶ ଦେଇଛି।

ଜୁଲାଇ ୨୨ରେ ହ୍ୱାଇଟ ହାଉସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହ ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିବା ସମୟରେ ଏକ କଥା କହି ଭାରତକୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଟ୍ରମ୍ପ କହିଥିଲେ କି, କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କହିଛନ୍ତି । ତେବେ ଟ୍ରମ୍ପଙ୍କର ଏହି ଦାବୀକୁ ଭାରତ ଖଣ୍ଡନ କରିଥିଲା ।