ନୂଆଦିଲ୍ଲୀ,୦୮ ଅଗଷ୍ଟ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ଦେହାନ୍ତ ହୋଇଥିବା ବେଳେ ଅନେକ କ୍ରୀଡ଼ାବିତ୍‌ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ୬୭ ବର୍ଷ ବୟସରେ ସୁଷମାଙ୍କ ହୃଦଘାତରେ ପରଲୋକ ହୋଇଯାଇଥିଲା।

କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସୁଷମାଙ୍କୁ ବିଜେପି ଦଳର ଅନ୍ୟତମ ସ୍ତମ୍ଭ ବୋଲି ଦର୍ଶାଇବା ସହ ତାଙ୍କୁ ସମ​‌େ​ସ୍ତ ଭଲ ପାଇବା ସହ ବେଶ୍‌ ସମ୍ମାନ ପ୍ରଦାନ କରୁଥିବା ମତ ଦେଇଛନ୍ତି। ଜଣେ ସହନଶୀଳ ଓ ସକରାତ୍ମକ ରାଜନେତା ଭାବେ ସୁଷମା ସର୍ବଦା ବନ୍ଦନୀୟ ହୋଇ ରହିବେ ବୋଲି ଗମ୍ଭୀର କହିଛନ୍ତି। ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଟ୍ବିଟ୍‌ କରି ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସେହିପରି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁ ମଧ୍ୟ ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପୂର୍ବତନ ଭାରତୀୟ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ଟ୍ବିଟ୍‌ କରି ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

ପୂବର୍ତନ କେନ୍ଦ୍ର ମନ୍ତ୍ରୀ ତଥା ଅଲିମ୍ପିକ୍‌ସ ପଦକ ବିଜେତା ରାଜ୍ୟବର୍ଦ୍ଧନ ସିଂହ ରାଠୋର୍‌ ସୁଷମାଙ୍କ ପରଲୋକ ତାଙ୍କୁ ଆଘାତ ଦେଇଛି ବୋଲି ଦର୍ଶାଇବା ସହ ସେ ଜନସାଧାରଣଙ୍କ ପ୍ରକୃତ ନେତ୍ରୀ ଥିଲେ ବୋଲି ମତ ଦେଇଛନ୍ତି। ସେହିପରି ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା ନିଜ ପ୍ରତିକ୍ରିୟାରେ ସୁଷମାଙ୍କୁ ଜଣେ ମହାନ୍‌ ନେତ୍ରୀ ବୋଲି ଦର୍ଶାଇବା ସହ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଭାରତୀୟ କ୍ରିକେଟର୍‌ ସୁରେଶ ରୈନା, କ୍ରିକେଟର୍‌ରୁ ଭାଷ୍ୟକାର ପାଲଟିଥିବା ଆକାଶ ଚୋପ୍ରା ପ୍ରମୁଖ ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।