ନୂଆଦିଲ୍ଲୀ,୧୧ ଅଗଷ୍ଟ : ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଶନିବାର ରାତି ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସୋନିଆଙ୍କ ନିଯୁକ୍ତିକୁ ନେଇ ଏବେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି । ରାହୁଲ ଗାନ୍ଧୀ ନିଜର ପଦ ଛାଡ଼ିବା ବେଳେ କହିଥିଲେ ଯେ, ଏଥର ଗାନ୍ଧୀ-ନେହରୁ ପରିବାରରୁ କୌଣସି ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ କରାଯିବ ନାହିଁ । ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପାଦନ କରିବେ। ଏଥିସହିତ ରାହୁଲ ଗାନ୍ଧିଙ୍କ ଇସ୍ତଫା ଗୃହୀତ ହୋଇଥିବା ସେ ସୂଚନା ଦେଇଛନ୍ତି।

ଏବାବଦରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି, କଂଗ୍ରେସ ବହୁ ଦିନ ଧରି ଏହି ପଦ ପୂରଣ କରିବାକୁ ଉଦ୍ୟମ କରିଛି । ନିଜର କୋଟି କୋଟି କର୍ମକର୍ତ୍ତାଙ୍କୁ ପରାମର୍ଶ ମାଗିଛି । ବିଧାୟକ ଦଳର ନେତାଙ୍କ ସହିତ ଆଲୋଚନା କରିଛି । ସେହିଭଳି ପାର୍ଟି ସଚିବ ଓ ମହାସଚିବଙ୍କୁ ମଧ୍ୟ ବୁଝିଛି । ଏହା ପରେ ମଧ୍ୟ ପ୍ରସ୍ତାବ ଆସିଥିଲା ଯେ, ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ । ମାତ୍ର ରାହୁଲ ଏହାକୁ ସ୍ୱୀକାର କରି ନାହାନ୍ତି । ସେ ବିନମ୍ରତାର ସହିତ କଂଗ୍ରେସ ଅଧ୍ୟକ୍ଷ ପଦରେ ନ ରହିବାକୁ ନିଜର ମତ ଦେଇଛନ୍ତି । ଏଭଳି ସ୍ଥିତିରେ ଦଳ ଉପାୟ ଶୂନ୍ୟ ହୋଇ ଏକ ବଳିଷ୍ଠ ନେତୃତ୍ୱ ଖୋଜିଛି । ଶେଷରେ କଂଗ୍ରେସ ସୋନିଆଙ୍କୁ ହିଁ ବିକଳ୍ପ ଭାବରେ ଦେଖିଛି ।