ବେଙ୍ଗାଲୁରୁ,୨୮ ଜୁଲାଇ : ବିଧାନସଭା ବାଚସ୍ପତି କେ ଆର୍‌ ରମେଶ କୁମାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବାଚସ୍ପତି ୧୪ ଜଣ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେ ସମସ୍ତ ୧୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ଜେଡିଏସ୍‌ ଓ ୧୧ ଜଣ କଂଗ୍ରେସର ବିଧାୟକ ଅଛନ୍ତି । ଏ ସମସ୍ତ ବିଧାୟକ ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି ବାଚସ୍ପତି କହିଛନ୍ତି ।

ଆସନ୍ତାକାଲି ନବଗଠିତ ୟେଦ୍ୟୁରପ୍ପା ସରକାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ। ଏହା ପୂର୍ବରୁ ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି। ଏହା ବିଜେପିକୁ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ସହଜ କରି ଦେଇଛି। କାରଣ ଏହି ସମସ୍ତ ବିଧାୟକ ଅଯୋଗ୍ୟ ଘୋଷଣା ହେବା ପରେ ଗୃହର ସଦସ୍ୟଙ୍କ ସଂଖ୍ୟା ୨୦୮କୁ ଖସି ଆସିଛି। ତେଣୁ ସଂଖ୍ୟା ଗରିଷ୍ଠତା ଲାଭ କରିବା ପାଇଁ ବିଜେପିକୁ ୧୦୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେବ, ଯାହାକି ଦଳ ପାଖରେ ରହିଛି।

ସେହିପରି କଂଗ୍ରେସ ଶ୍ରୀମନ୍ତ ପାଟିଲ୍‌ଙ୍କ ସମେତ ୧୧ ବିଧାୟକ ମଧ୍ୟ ଏହି ତାଲିକରେ ଅଛନ୍ତି । ଏହି ୧୪ ଜଣ ବିଦ୍ରୋହୀ ବିଧାୟକ କୁମାରସ୍ୱାମୀଙ୍କ ସରକାରରୁ ଇସ୍ତଫା ଦେଇ ସାରିଛନ୍ତି । ମାତ୍ର ବାଚସ୍ପତି ଇସ୍ତଫାକୁ ଗ୍ରହଣ ନ କରି ଏହି ନିଷ୍ପତ୍ତି ନେଇଛନ୍ତି ।