ନୂଆଦିଲ୍ଲୀ,୯ ସେପ୍ଟେମ୍ବର : ସଫ୍ଟ ଲ୍ୟାଣ୍ଡିଂ କରିନପାରି ଚନ୍ଦ୍ରରେ ଖସିପଡ଼ିଥିଲା ଲ୍ୟାଣ୍ଡର ବିକ୍ରମ। ହେଲେ ଏହାର କୌଣସି ଅଂଶ ଭାଙ୍ଗି ନାହିଁ। କେବଳ ଏକ ପାଖିଆ ଢଳି ପଡ଼ିଥିବା ଜଣା ପଡ଼ିଛି। ଇସ୍ରୋର ପୂର୍ବତନ ମୁଖ୍ୟ ଜି. ମାଧବନ ନାୟାର ଆଜି ଏହି ସୂଚନା ଦେଇଛନ୍ତି। ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଅର୍ବିଟର ଦ୍ୱାରା ପଠାଯାଇଥିବା ଫଟୋ ଅନୁସାରେ ଏହା ଗୋଟିଏ ବସ୍ତୁ ଆକାରରେ ଦେଖାଯାଉଛି । ଇସ୍ରୋର ଟିମ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଠା ଜାରି ରଖିଛନ୍ତି ।

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ସମୟରେ ମାତ୍ର 2.1 କିମି ଉପରୁ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ଯାହାପରେ ବିକ୍ରମ ରାସ୍ତା ଭୁଲି ନିଜର ନିର୍ଦ୍ଧାରିତ ସ୍ଥାନରୁ ପ୍ରାୟ 500 ମିଟର ଦୂରରେ ଚନ୍ଦ୍ରପୃଷ୍ଠ ଲ୍ୟାଣ୍ଡ କରିଥିଲା । ଏହାପରେ ରବିବାର ଦିନ ଚନ୍ଦ୍ରଯାନ-2ର ଅର୍ବିଟର ଲ୍ୟାଣ୍ଡର ବିକ୍ରମର ଥର୍ମଲ ଫଟୋ ଇସ୍ରୋକୁ ପଠାଇଥିଲା ।

ଯଦି ଇସ୍ରୋ ବିକ୍ରମ ସହ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଯାଏ ତେବେ ପ୍ରଜ୍ଞାନ ପୁଣି ଥରେ ନିଜ ଗୋଡରେ ଠିଆ ହୋଇପାରିବ । ଏଥିପାଇଁ ଇସ୍ରୋର ଟିମ ଇସ୍ରୋ ଟେଲିମେଣ୍ଟ୍ରି ଟ୍ରାକିଂ ଏବଂ କମାଣ୍ଡୋ ନେଟୱାର୍କ (ISTRAC)ରେ ଲଗାତାର ଚେଷ୍ଟା ଜାରି ରଖିଛି । ଇସ୍ରୋର କହିବା ଅନୁସାରେ ବିକ୍ରମ ଗୋଟିଏ ପଟେ ନୂଆଁନିଣା ସ୍ଥିତିରେ ଥିବା ପରି ଦେଖାଯାଉଛି । ବିକ୍ରମରେ ଆବୋର୍ଡ କମ୍ପ୍ୟୁଟର ସିଷ୍ଟମ ଲଗାଯାଇଛି ଯାହାଦ୍ୱାରା କମାଣ୍ଡ ମିଳିବା ପରେ ଥଷ୍ଟର୍ସ ମାଧ୍ୟମରେ ନିଜ ଗୋଡରେ ପୁଣିଥରେ ଠିଆ ହୋଇପାରିବ । ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠ ପଡିବା ଫଳରେ ଲ୍ୟାଣ୍ଡର ଏଣ୍ଟିନା ଦବି ଯାଇଛି ।