ନୂଆଦିଲ୍ଲୀ,୨୧ଅଗଷ୍ଟ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କ ବୁଧବାର ଭୋରରୁ ପରଲୋକ ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ୮୯ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ମଧ୍ୟପ୍ରଦେଶର ୧୬ତମ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ଚଳିତ ମାସ ଅଗଷ୍ଟ ୮ରେ ଭୋପାଳସ୍ଥିତ ନର୍ମଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ଜୁଲାଇରେ ବାବୁଲାଲଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଏଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା ।

ବାବୁଲାଲଙ୍କର ଉଚ୍ଚ ରକ୍ତ ଚାପ ରହିଥିବା ବେଳେ କିଡନୀ ଠିକ୍ ଭାବେ କାମ କରୁନଥିଲା ବୋଲି ଜଣାପଡ଼ିଛି। ସେ ୧୪ ଦିନ ହେବ ନର୍ମଦା ହସ୍ପିଟାଲରେ ଭେଣ୍ଟିଲେଟରରେ ରହିବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ମୃତ୍ୟୁ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଜେପି ନେତାମାନେ ନର୍ମଦା ହସ୍ପିଟାଲକୁ ଛୁଟିଛନ୍ତି । ସେହିଭଳି ବିଜେପି ନେତାମାନେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସ୍ୱର୍ଗତ ବାବୁଲାଲ ଗୌରଙ୍କ ଘର ସମ୍ମୁଖରେ ଭିଡ ଜମାଇଛନ୍ତି ।

ବାବୁଲାଲ ଗୌର ୧୯୩୦ ଜୁନ ୨ରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ନାଉଗିର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଉତ୍ତର ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ବି ସେ ପିଲାଟି ଦିନରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ରହିଆସୁଥିଲେ । ଭୋପାଳ ଦକ୍ଷିଣ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପ ନିର୍ବାଚନରେ ବାବୁଲାଲ ୧୯୭୪ ମସିହାରେ ପ୍ରଥମ ଥର ବିଜୟୀ ହୋଇଥିଲେ । ସେ ବିଭିନ୍ନ ମନ୍ତ୍ରୀ ପଦ ତୁଲାଇବା ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିଥିଲେ । ଗୌର ୨୦୦୨ ସେପ୍ଟେମ୍ବର ୪ରୁ ୨୦୦୩ ଡିସେମ୍ବର ୭ ଯାଏଁ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ।