ନୂଆଦିଲ୍ଲୀ,ଜୁନ୦୭:

ଭାରତୀୟ ଦଳର ମହାନ ଓ୍ଵିକେଟ୍ ରକ୍ଷକ ବ୍ୟାଟସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କ ଗ୍ଲୋବ୍ସରେ ଭାରତୀୟ ସେନାର ବଳିଦାନର ବ୍ୟାଜକୁ ନେଇ ଆଇସିସିର ଆପତ୍ତି ଉପରେ ବିତର୍କ ଜୋର ଧରିଛି। ବିଶ୍ଵ କପରେ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମୁକାବିଲାରେ ଧୋନୀ ଯେଉଁ ଗ୍ଲୋବ୍ସ ପିନ୍ଧିଥିଲେ ସେଥିରେ ସେନାର  ବଳିଦାନ ବ୍ୟାଜ୍ ଥିଲା। ଆଇସିସି ଧୋନୀଙ୍କୁ ଗ୍ଲୋବ୍ସରୁ ଉକ୍ତ ଚିହ୍ନକୁ  ହଟାଇବାକୁ କହିଥିଲା। ମାତ୍ର ଧୋନୀ ନିଜର ଗ୍ଲୋବ୍ସରୁ ଏହି ଚିହ୍ନକୁ ହଟାଇବାକୁ ମନା କରି ଦେଇଛନ୍ତି। ଆଇସିସିର କହିବା କଥା ନିୟମ ମୁତାବକ କୌଣସି ବି ଅନ୍ୟ ପ୍ରତୀକ ପଡିଆରେ ପିନ୍ଧା ଯାଇ ପାରିବ ନାହିଁ। ମାତ୍ର ଏହି ମାମଲାରେ ବିସିସିଆଇ ସହିତ ସମଗ୍ର ଦେଶ ଧୋନୀଙ୍କ ସମର୍ଥନରେ ଆଗକୁ ଆସିଛନ୍ତି।

ବିନୋଦ ରାୟ କହିଛନ୍ତି ଯେ, ଆମେ ନିଜର ଖେଳାଳିଙ୍କ ସମର୍ଥନରେ ଅଛୁ। ଧୋନୀଙ୍କ ଗ୍ଲୋବ୍ସରେ ଯେଉଁ ଚିହ୍ନ ରହିଛି, ତାହା କୌଣସି ଧର୍ମର ନୁହେଁ ଏବଂ କୌଣସି ପ୍ରକାରର ବ୍ୟସାୟିକ ମଧ୍ୟ ନୁହେଁ। ଆମେ ଆଇସିସିକୁ ଧୋନୀଙ୍କୁ ନିଜ ଗ୍ଲୋବ୍ସରେ ଉକ୍ତ ଚିହ୍ନ ଲଗାଇବା ପାଇଁ ଅନୁମତି ଦେବାକୁ ପୂର୍ବରୁ ଚିଠି ଲେଖି ସାରିଛୁ।

ବିସିସିଆଇ ପରେ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ଧୋନୀଙ୍କ ସମର୍ଥନ କରିଛି। କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, କ୍ରୀଡ଼ା ସଂସ୍ଥାଙ୍କ ମାମଲାରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ, ସେମାନେ ସ୍ଵାୟତ୍ତ ଏବଂ ସ୍ଵତନ୍ତ୍ର। ମାତ୍ର ଯେବେ ପ୍ରସଙ୍ଗ ଦେଶର ଭାବନା ସହିତ ଜଡ଼ିତ ହୁଏ, ତେବେ ରାଷ୍ଟ୍ର ହିତକୁ ଧ୍ୟାନରେ ରଖିବାକୁ ପଡିଥାଏ। ମୁଁ ବିସିସିଆଇକୁ ଆଇସିସିରେ ଏହି ମାମଲାକୁ ଉଠାଇବାକୁ ଅନୁରୋଧ କରୁଛି।

ଆଇସିସି ସୂତ୍ର ମୁତାବକ, ଯଦି ଏମଏସ ଧୋନୀ ଓ ବିସିସିଆଇ ଆଇସିସିକୁ ଏହା ସୁନିଶ୍ଚିତ କରିବେ ଯେ, ବଳିଦାନ ବ୍ୟାଜରେ କୌଣସି ରାଜନୈତିକ, ଧାର୍ମିକ ସନ୍ଦେଶ ନାହିଁ, ତେବେ ଆଇସିସି ଏହା ଉପରେ  ବିଚାର କରିପାରେ।

ଧୋନୀଙ୍କ ସମର୍ଥନରେ କ୍ରୀଡ଼ା ହସ୍ତୀ

ଏହି ପ୍ରସଙ୍ଗରେ ଦେଶର ବରିଷ୍ଠ କ୍ରୀଡ଼ାବିତ୍ ମାନେ ମଧ୍ୟ ଧୋନୀଙ୍କୁ ସମର୍ଥନ କରିଛନ୍ତି। ରେସଲର ଯୋଗେଶ୍ଵର ଦତ୍ତ କହିଛନ୍ତି ଯେ, ଆମେ ଧୋନୀଙ୍କ ଉପରେ ଗର୍ବିତ ଏବଂ ତାଙ୍କୁ ସେନାର ବଳିଦାନ ବ୍ୟାଜର ଚିହ୍ନକୁ ଗ୍ଲୋବ୍ସରେ ପିନ୍ଧିବା ଜାରି ରଖିବା ଉଚିତ୍। ତାଙ୍କ ବ୍ୟତୀତ ସୁଶିଲ କୁମାର ମଧ୍ୟ ଧୋନୀଙ୍କ ସମର୍ଥନ କରିଛନ୍ତି। ହକିର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହ ମଧ୍ୟ ଧୋନୀଙ୍କୁ ସମର୍ଥନ କରିଛନ୍ତି।

ଧୋନୀଙ୍କୁ ଅନୁମତି ନେବା ଜରୁରୀ ନୁହେଁ

ଆର୍ମି ଧୋନୀଙ୍କୁ ସମ୍ମାନ ଦେଇଛି। ଧୋନୀ ଓ ମିଲଖା ସିଂହଙ୍କ ନାମ ଯଦି ଦୁନିଆରେ ରହିଛି ତାହା ସେନା କାରଣରୁ  ହୋଇଛି। ଧୋନୀ କୌଣସି ଭୁଲ କରି ନାହାନ୍ତି। ଏହି ପ୍ରସଙ୍ଗକୁ  ବଢାଇବା ଉଚିତ୍ ନୁହେଁ। ମହେନ୍ଦ୍ର ସିଂହ ଧୋନୀ ଯାହା କରିଛନ୍ତି, ତାହା ଏକଦମ ଠିକ୍। ଏଥିପାଇଁ କାହାରିଠୁ ଅନୁମତି ନେବା ଆବଶ୍ୟକ ନୁହଁ। ସେନାକୁ ସମ୍ମାନ ଦେଇ ସେ ଭଲ କାମ କରିଛନ୍ତି। ଏଥିରେ କୌଣସି ପ୍ରକାରର ରାଜନୈତିକ ସନ୍ଦେଶ ନାହିଁ।