କାବୁଲ୍‌,୧୮ଅଗଷ୍ଟ : ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଏକ ବାହାଘର ଚାଲିଥିବା ବେଳେ ବିସ୍ଫୋରଣ ଘଟିବାରୁ ୬୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆହତମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି।

ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ତେବେ ଆକ୍ରମଣରେ ତାଲିବାନ ଗୋଷ୍ଠୀ ସମ୍ପୃକ୍ତ ନ ଥିବା ସ୍ପଷ୍ଟ କରିଛି। ଆଫଗାନିସ୍ତାନରେ ବିବାହ ଉତ୍ସବଗୁଡ଼ିକ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ଏଥିରେ ହଜାର ହଜାର ଅତିଥି ଯୋଗଦେଇଥାନ୍ତି। ତେଣୁ ଆତଙ୍କବାଦୀମାନେ ବଡ଼ ଧରଣର ହିଂସା ଘଟାଇବା ଲାଗି ବିବାହ ଉତ୍ସବକୁ ଟାର୍ଗେଟ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବିସ୍ଫୋରଣ ବେଳେ ବାହାଘର ମଣ୍ଡପରେ ବହୁତ ଭିଡ଼ ଥିଲା। ସଙ୍ଗୀତ ପରିବେଷଣ ପାଇଁ କରାଯାଇଥିବା ଷ୍ଟେଜ୍ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଲୋକେ ଭୟରେ ଏଣେ ତେଣେ ଦୌଡ଼ି ପଳାଇ ଥିଲେ। ଆଫ୍‌ଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଶାହର-ଇ-ଦୁବାଇ ନାମକ ଏକ ମଣ୍ଡପରେ ଏହି ବିସ୍ଫୋରଣ ହୋଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।