ଇସଲାମାବାଦ,୩୦ ଜୁଲାଇ : ପାକିସ୍ତାନୀ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାରେ ଆହୁରି କିଛି କ୍ରୁ ସଦସ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେନା ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ସୂଚନାରୁ ଏହା ଜଣାପଡ଼ିଛି । ରାଓଲପିଣ୍ଡି ସହରର ଏକ ଆବାସିକ ଅଂଚଳରେ ହଠାତ ସେନାର ବିମାନରେ ନିଆଁ ଲାଗିଥିଲା ବୋଲି ଉଦ୍ଧାରକାରୀ ଟିମର ମୁଖପାତ୍ର ଫାରୁକ ବଟ କହିଛନ୍ତି । ସେ କହିଛନ୍ତି, ସେନାର ଏକ ଛୋଟ ବିମାନ ଆବାସିକ ଅଂଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।

ରାଓଲପିଣ୍ଡିର ମୋରା କାଲୁ ଗାଁ ନିକଟ ଦେଇ ସେନାର ତାଲିମ ହେଲିକପ୍ଟର ଖସିପଡ଼ିଥିଲା । ସିସିଟିଭି ଫୁଟେଜରୁ ଆବାସିକ ଅଂଚଳରେ ନିଆଁ ଲାଗିଥିବା ଦେଖାଯାଇଥିଲା । ବଟ କହିଛନ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିମାନ ଦୁର୍ଘଟଣା ଯୋଗୁଁ ଅନେକ ଘର ପୋଡ଼ିଯାଇଛି । ଉଦ୍ଧାରକାରୀ ଟିମ କହିଛନ୍ତି, ବିମାନ ଅଚାନକ ଟାୱାର ସହିତ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଛି ।