ନୂଆଦିଲ୍ଲୀ, ଜୁନ ୨୫ (ଖବର ଓଡ଼ିଶା):

ଭାରତୀୟ ମାନେ ୩୦ ବର୍ଷ ମଧ୍ୟରେ ଅର୍ଥାତ ୧୯୮୦ ରୁ ୨୦୧୦ ପର୍ଯ୍ୟନ୍ତ ୩୪ ଲକ୍ଷ କୋଟି ଟଙ୍କାର କଳା ଧନ ବିଦେଶରେ ଗଚ୍ଛିତ ରଖିଛନ୍ତି । ତିନି ସଂସ୍ଥା ଦ୍ୱାରା କରାଯାଇଥିବା ରିପୋର୍ଟକୁ ନେଇ ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି । ଏନଆଇପିଏଫପି, ଏନସିଏଇଆର ଏବଂ ଏନଆଇଏଫଏମ ଏହି ରିପୋର୍ଟ ପ୍ରକାଶ କରିଛି । ସୋମବାର ଲୋକସଭାରେ ଆଗତ ଫାଇନାନ୍ସ ଉପରେ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ ରିୟଲ ଇଷ୍ଟେଟ, ମାଇନିଂ, ଫାର୍ମାସ୍ୟୁଟିକଲ୍ସ, ପାନ ମସଲା, ଗୁଟଖା, ତମାଖୁ, ବୁଲିୟନ, କମୋଡିଟି, ଫିଲ୍ମ ଓ ଶିକ୍ଷା କ୍ଷେତ୍ରରେ ଭାରତୀୟ ମାନେ ଅଧିକ କଳାଧନ ରୋଜଗାର କରୁଛନ୍ତି ।

କମିଟି ଷ୍ଟାଟସ ଅଫ ଅନକାଉଣ୍ଟେଡ ଇନକମ/ୱେଲଥ ଇନସାଇଡ ଆଣ୍ଡ ଆଉଟସାଇଡ ଦ କଣ୍ଟ୍ରି-ଏ କ୍ରିଟିକାଲ ଆନାଲିସିସ ନାମରେ ରିପୋର୍ଟରେ କହିଛି ଯେ, କଳା ଧନ କେମିତି ଏକାଠି କରାଯାଉଛି, ସଂପୂର୍ଣ୍ଣ ଭାବେ ବିଶ୍ୱସନୀୟ ଅନୁମାନ କରାଯାଇ ପାରି ନାହିଁ । ରିପୋର୍ଟରେ କୁହାଯାଇଛି ଯେ, ଏଯାଏର୍ ଯାହା ଅନୁମାନ କରାଯାଇଛି, ଏଥିରେ ସମାନ ପ୍ରକାରର ତଦନ୍ତ ରିପୋର୍ଟ ମିଳି ପାରି ନାହିଁ ।

ରିପୋର୍ଟ ଅନୁସାରେ ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ନିଜର ଅଧ୍ୟୟନରେ କହିଛି ଯେ, ୧୯୮୦ରୁ ୨୦୧୦ ମଧ୍ୟରେ ୨୬,୮୮,୦୦୦ କୋଟି ରୁ ୩୪,୩୦ ଲକ୍ଷ କୋଟି ଟଙ୍କା କଳା ଧନ ବିଦେଶ ଯାଇଛି । ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ ଫାଇନାନ୍ସ ମ୍ୟାନେଜମେଣ୍ଟ କହିଛି ଯେ, ଅର୍ଥବ୍ୟବସ୍ଥାରେ ସଂଶୋଧନ ସମୟରେ ପାଖାପାଖି ୧୫,୧୫,୩୦୦ କୋଟି ଟଙ୍କା କଳା ଧନ ବିଦେଶୀ ବ୍ୟାଙ୍କରେ ରଖାଯାଇଛି । ସେହିପରି ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ ପବ୍ଲିକ ପଲିସି ଆଣ୍ଡ ଫାଇନାନ୍ସ ପକ୍ଷରୁ କୁହାଯାଇଛି ଯେ, ୧୯୯୭ ରୁ ୨୦୦୯ ପର୍ଯ୍ୟନ୍ତ ଦେଶର ଜିଡିପିର ୦.୨ ପ୍ରତିଶତରୁ ୭.୪ ପ୍ରତିଶତ କଳା ଧନ ବିଦେଶ ପଠାଯାଇଛି ।