ନୂଆଦିଲ୍ଲୀ, ଜୁନ ୧୬:

ଆମେରିକାକୁ ତାହାର ନିଜ ଭାଷାରେ ଜବାବ ଦେଇଛି ଭାରତ । ଭାରତ ଆମଦାନୀ ହେଉଥିବା କୃଷି ଉତ୍ପାଦ ସମେତ ୨୮ଟି ଦ୍ରବ୍ୟ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛି । କିନ୍ତୁ ୮୦୦ ସିସି ବାଇକ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇ ନାହିଁ । ଯଦ୍ୱାରା ଆମେରିକାକୁ ଭାରତରେ ନିଜ ଦ୍ରବ୍ୟ ବିକ୍ରି କରିବାକୁ ହେଲେ ଅଧିକ ଟିକସ ଦେବାକୁ ପଡିବ । ଏନେଇ ସରକାର ନୋଟିଫିକେସନ ଜାରି କରିଛନ୍ତି ।

କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ ନିଜର ଏକ ପୁରୁଣା ଅଧିସୂଚନାକୁ ସଂଶୋଧିତ କରି ଗତକାଲି ନୂଆ ବିଜ୍ଞପ୍ତି ପ୍ରକାଶ କରିଥିଲା । ସିବିଆଇସିର କହିବାନୁସାରେ, ଆମେରିକାରେ ଉତ୍ପାଦିତ ହେଇଥିବା ୨୮ଟି ଉତ୍ପାଦ ଉପରେ ଟିକସ ଲଗାଯିବ । ତେବେ ଅନ୍ୟ ଦେଶର ଉତ୍ପାଦ ଉପରେ କର ଅପରିବର୍ତିତ ରହିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ କି, ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତର ଆମେରିକାରୁ ରପ୍ତାନୀ ମୂଲ୍ୟ ୪୭.୯ ଆରବ ଡଲାର ରହିଥିଲା । ଏହାସହ ୨୬.୭ ଆରବ ଡଲାରର ଆମଦାନୀ ହୋଇଥିଲା । ଯେଉଁଥିରେ ଦେଶର ବେପାର ସନ୍ତୁଳିତ ରହିଥିଲା । ଏବେ ଏହି ନିଷ୍ପତି ଫଳରେ ଦେଶକୁ ୨୧.୭ କୋଟି ଡଲାରର ଅତିରିକ୍ତ ରାଜସ୍ୱ ମିଳିବ ।

ଆମଦାନୀ ଶୁଳ୍କ ବୃଦ୍ଧି ପାଇଥିବା ଦ୍ରବ୍ୟ ମଧ୍ୟରେ ଚଣା, ମସୁର ଡାଲି, ସେଓ, ଅଖରୋଟ, ଲୁହା, ଷ୍ଟିଲ ଆଦି ରହିଛି  ।